ଟିକିଟିକି କଣ୍ଟା, ଲୁହାର ବାଡ଼ି
ଏ ନାଆ ନ କହିଲେ ଘରୁ ଦିଅ ତଡ଼ି
ଏହା ଏକ ନାଆଁ ଦିଆ ପହେଳି। ଦାଆ ଲୁହାରେ ତିଆରି ହୋଇଥିବା ବେଳେ ଏହାର ଧାର ଦନ୍ତୁରିତ ହୋଇଥିବା ଅର୍ଥରେ ଏଭଳି ପ୍ରହେଳିକା ଉଲ୍ଲେଖ କରାଯାଇଛି।
ଟୋକା ଟାକରା, ତଟୁ ଘୋଡ଼ା
ଖାଆନ୍ତି ବହୁତ କାମ ଥୋଡ଼ା
ତଟୁ ଘୋଡ଼ା ଯେଉଁ ପରିମାଣରେ ଖାଦ୍ୟ ଖାଆନ୍ତି, ସେଇ ପରିମାଣରେ କାମ କରି ପାରିନଥାନ୍ତି। ପରୋକ୍ଷରେ କୌଣସି କାମଧନ୍ଦା ନକରି ଘରେ ଖାଇପିଇ ଆରାମ କରିବା ସହ ବାହାରେ ବୁଲି ସମୟ ନଷ୍ଟ କରୁଥିବା ଭେଣ୍ଡିଆ ଟୋକା ପ୍ରତି ଏଭଳି କଟୂକ୍ତି ପ୍ରକାଶ କରାଯାଇଛି।
ଟଙ୍କା ଯାହାର,
ମାମଲା ତାହାର
ଆଜିର ଅର୍ଥସର୍ବସ୍ବ ଦୁନିଆରେ ଅର୍ଥ ହିଁ ସବୁକିଛି। ଅର୍ଥ ବଳରେ ବ୍ୟକ୍ତି ସବୁକିଛି ହାସଲ କରିପାରେ। ନିଜ ଇଚ୍ଛାନୁମୁତାବକ ଜୀବନ ବିତାଇପାରେ। ଧନିକ ଶ୍ରେଣୀର ବ୍ୟକ୍ତି ଅର୍ଥବଳରେ ଆଇନକାନୁନ ବା ନ୍ୟାୟ ନିଶାପକୁ ନିଜ ହାତମୁଠାକୁ ଆଣିବାରେ ସକ୍ଷମ ହେଉଥିବା ଅର୍ଥରେ ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।
ଟୋକାଙ୍କୁ ସୁନ୍ଦର ବସନ୍ତ ପଞ୍ଚମୀ,
ଟୋକୀଙ୍କୁ ସୁନ୍ଦର ନେତ
ବୁଢ଼ିଙ୍କି ସୁନ୍ଦର ରାଇ ଦାମୋଦର,
ବୁଢ଼ାଙ୍କୁ ସୁନ୍ଦର ଗୀ
ବୟସ ଅନୁସାରେ ଲୋକଙ୍କ ରୁଚି ବଦଳିଯାଏ। ତାହା ସହ ହାବଭାବରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ। ବିଭିନ୍ନସ୍ତରର ବ୍ୟକ୍ତିଙ୍କ ଭିନ୍ନଭିନ୍ନ ରୁଚି ପ୍ରତି ଆଗ୍ରହ ରହୁଥିବା ଅର୍ଥରେ ଏଭଳି ଉକ୍ତିର ବର୍ଣ୍ଣନା କରାଯାଇଛି।
ଟେରାକେ ଟେରୀ,
ଦଇବ ଦେଇଛେ ଭେଟ କରି
ଦାମ୍ପତ୍ୟ ଯୋଡ଼ି ହିଁ ଈଶ୍ବରଙ୍କ ସର୍ଜନା। କୁହାଯାଏ, ବିବାହ ସ୍ବର୍ଗରେ ହୋଇଥାଏ। ଅର୍ଥାତ୍ କିଏ କାହାର ହେବ, ତାହା ସ୍ଥିର ହୋଇଥାଏ ଢେର୍ ଆଗରୁ। ନିର୍ଦିଷ୍ଟ ପୁରୁଷ ପାଇଁ ନାରୀ ଈଶ୍ବର ସୃଷ୍ଟି କରିଥିବା ଅର୍ଥରେ ଏଭଳି ଉକ୍ତ ପ୍ରକାଶ କରାଯାଇଛି।
ଠକଙ୍କ ଗୁରୁ,
ଉପରେ ଚିକ୍କଣ, ଭିତରେ ମାରୁ
ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜକୁ ସାଧୁ ବା ସଚ୍ଚୋଟ ବ୍ୟକ୍ତିଭାବେ ଚିତ୍ରଣ କରୁଥିବାବେଳେ ନିଜ ଭିତରେ ଠକିବାର ସମସ୍ତ ବୁଦ୍ଧି ଠୁଳ କରି ରଖୁଥିବାର ଦେଖାିବାକୁ ମିଳିଥାଏ। ଏପରି ଠକ ବ୍ୟକ୍ତିଙ୍କୁ ଆମ ସମାଜରେ ନିନ୍ଦା ଅପବାଦ ମିଳୁଥିବାବେଳେ ଏମାନଙ୍କୁ ଲକ୍ଷ୍ୟରେ ରଖି ଏଭଳି ବ୍ୟଙ୍ଗୋକ୍ତି ପ୍ରକାଶ କରାଯାଇଛି।
ଠକମ ଠକା,
କାମ କରୁଛି ବଙ୍କା ଢଙ୍କା
ସାଧାରଣତଃ ଠକ ପ୍ରକୃତିର ବ୍ୟକ୍ତି କାମ କରିବାକୁ ପଛଘୁଞ୍ଚା ଦେଉଥିବାବେଳେ କାମ ନକରିବା ନେଇ ବିଭିନ୍ନ ପ୍ରକାର ବାହାନା ଦେଖାଇଥାନ୍ତି। ଏପରି ବ୍ୟକ୍ତିଙ୍କ ଦ୍ବାରା କୌଣସି କାମ ଠିକ୍ ଢଙ୍ଗରେ ହୋଇପାରୁନଥିବା ଅର୍ଥରେ ଏହି ଉକ୍ତି ଉଲ୍ଲେଖ କରାଯାଇଛି
ଡଗର ପଠେଇ ଆଣିବେ ଧରି,
ମାଡ଼ ମରେଇବେ ଯନ୍ତାରେ ଭରି
ଇଂରେଜ ଶାସନ କାଳରେ ଓଡ଼ିଶାର ପ୍ରଜାଙ୍କ ଅବସ୍ଥା ଦୟନୀୟ ହୋଇଥିବା ଇତିହାସ ପୃଷ୍ଠାରୁ ଜଣାଯାଏ। ସେ କାଳରେ ସବୁ ଅନ୍ୟାୟ ଅନୀତିକୁ ଆଖିବୁଜି ସହିଯିବାକୁପଡ଼ୁଥିଲା। ରାଜା ପିଆଦା ପଠାଇ ଦଣ୍ଡ ଦେବା ଅର୍ଥରେ ଏଭଳି ଉକ୍ତ ଉଲ୍ଲେଖ କରାଯାଇଛି।
ଡର କାହାକୁ, ଭୟ କାହାକୁ,
ଠାକୁରେ ଅଛନ୍ତି ଚଉବାହାକୁ
ଈଶ୍ବର ସର୍ବତ୍ର ବିଦ୍ୟମାନ` ଈଶ୍ବରଙ୍କଠାରେ ଆସ୍ଥା ରଖିଥିବା ବ୍ୟକ୍ତି ତାଙ୍କର ସାନ୍ନିଧ୍ୟ ଓ କୃପା ଲାଭ କରୁଥିବାବେଳେ ସେ ଆଶ୍ରିତ ପ୍ରାଣୀଙ୍କୁ ସକଳ ବିପଦରୁ ଉଦ୍ଧାର କରିଥାନ୍ତି। ଈଶ୍ବରଙ୍କ ପ୍ରତି ପ୍ରଗାଢ଼ ବିଶ୍ବାସ ରହିଥିବା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି।