ଛପନ କୋଟି ଜୀବଙ୍କୁ
ବାଆନ କୋଟି ଭଣ୍ଡାର
ଈଶ୍ବର ହେଉଛନ୍ତି ସକଳ ସୃଷ୍ଟିର ଆଧାର। ସେ ହିଁ ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା ଓ ପ୍ରାଣକର୍ତ୍ତା। ଜୀବମାନଙ୍କ ପାଇଁ ଈଶ୍ବରଙ୍କ ସଂସାରରେ ଖାଦ୍ୟର ଅଭାବ ପଡ଼ୁ ନଥିବା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି।
ଛିରେ ପେଟୁ
ଯେତେ ଖାଇଥିଲେ ଖାଇବା ରଟୁ
ଯାହାର ଖାଦ୍ୟ ପ୍ରତି ଅଧିକ ଲୋଭ ରହିଥାଏ, ସେ ଯେତେ ଖାଇଥିଲେ ମଧ୍ୟ ଆହୁରି ଖାଦ୍ୟ ଖାଇବା ନେଇ ମନ ବଳାଇଥାଏ। ସେହିପରି ଖାଦ୍ୟ ଛଡ଼ା ତାଙ୍କୁ ଆଉ କିଛି ବି ଦୃଶ୍ୟ ହୋଇନଥାଏ। ପେଟୁ ବ୍ୟକ୍ତିଙ୍କର ଖାଦ୍ୟ ପ୍ରତି ରହିଥିବା ଅହେତୁକ ଲାଳସା ଭାବନା ପ୍ରତି ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।
ଛୋପରା ଛଇ
ଘଇତାକୁ ବୋଲୁଛି ନାତୁଣୀ ଜୋଇଁ
ସାଧାରଣତଃ ମହିଳାମାନେ ନିଜର ଠିକ ବୟସ ଅନ୍ୟ ଆଗରେ ପ୍ରକାଶ କରିବାକୁ କୁଣ୍ଠିତ ହୋଇଥାନ୍ତି। ମହିଳାମାନଙ୍କର ବୟସ ଲୁଚାଇବାର ମାନସିକତାକୁ ଲକ୍ଷ୍ୟରେ ରଖି ଏଭଳି ବ୍ୟଙ୍ଗୋକ୍ତି ପ୍ରକାଶ କରାଯାଇଛି।
ଜୟ ବେଳେ କ୍ଷୟ ନାହିଁ
ମରଣ ବେଳେ ଔଷଧ ନାହିଁ
ମଣିଷ ଯେତେବେଳେ ଉନ୍ନତି ପଥରେ ଅଗ୍ରସର ହୁଏ, ସେତେବେଳେ ତାକୁ ପ୍ରତିରୋଧ କରିବା ସମ୍ଭବପର ହୋଇନଥାଏ।ସେହିପରି ଯେତେବେଳେ ମୃତ୍ୟୁର ସନ୍ନିକଟ ହୁଏ, ସେତେବେଳେ ତାକୁ କୌଣସି ଔଷଧ କାମ କରିନଥାଏ ବୋଲି ଏଠାରେ ଉଲ୍ଲେଖ କରାଯାଇଛି।
ଝିଣ୍ଟିକା ମାରି ବଣି ପୋଷ
ନାହିଁ ଦୋଷ
ବ୍ୟକ୍ତି ନିଜର ସ୍ବାର୍ଥ ପୂରଣ ଲାଗି ବେଳେବେଳେ ଅନ୍ୟାୟ ଅନୀତିକୁ ପ୍ରଶ୍ରୟ ଦେଉଥିବା ଲକ୍ଷ୍ୟ କରାଯାଇଥାଏ। ତେବେ ନିଜ ସ୍ବାର୍ଥ ସାଧନ ପାଇଁ ଦୁର୍ବଳ ବ୍ୟକ୍ତିକୁ ଦଣ୍ଡଦେଇ ସବଳ ବ୍ୟକ୍ତିର ଉପକାର କରିବା ଦୋଷାବହ ନୁହେଁ ବୋଲି ଏଠାରେ ଉଲ୍ଲେଖ କରାଯାଇଛି।
ଝିମିଟି ଖେଳରୁ
ମହାଭାରତ
ସାମାନ୍ୟ ଝିମିଟି ଖେଳରୁ ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇ ମହାଭାରତ ଯୁଦ୍ଧ ହୋଇଥିଲା। ସାମାନ୍ୟ ବିଷୟ ବା ଘଟଣାରୁ ତୁମୁଳକାଣ୍ଡର ସୂତ୍ରପାତ ଘଟିବା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି।
ଝୁଟାକରି,
ଏହା ପିନ୍ଧିଲେ କି ଦିନ ସରି ?
ମହିଳାମାନେ ସାଧାରଣତଃ ଗହଣାପ୍ରିୟ ହୋଇଥିବାବେଳେ କେତେକ ଅର୍ଥାଭାବରୁ ନକଲି ସୁନା ଗହଣା ପ୍ରତି ମନ ବଳାଉଥିବା ଲକ୍ଷ୍ୟ କରାଯାଇଥାଏ। ତେବେ ଅସଲି ସୁନାଗହଣା ତୁଳନାରେ ଏହାର ସ୍ଥାୟିତ୍ବ ଖୁବ୍ କମ୍ ଦିନ ହୋଇଥାଏ। ନକଲି ବସନ ଭୂଷଣ ବେଶି ଦିନ ଯାଉନଥିବା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଛି।
ଝିଅ ବିଭା ପାଇଁ ଅଛିଟି ଧାଇଁ,
ଅଣ୍ଟାରେ କାଣି କଉଡ଼ି ନାହିଁ
ସାଧାରଣତଃ ବାହାଘର କଲେ ଭୋଜିଭାତ ଦେବା ନେଇ ଅନେକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏପରିସ୍ଥଳେ ହାତରେ ଧନ ନଥିବା ବ୍ୟକ୍ତି ଏଥିପ୍ରତି ମନ ବଳେଇବା ଉଚିତ୍ ହୋଇନଥାଏ। ପାଖରେ ଅର୍ଥ ନଥାଇ ବଡ଼ ବଡ଼ ଖର୍ଚ୍ଚାନ୍ତ କାମରେ ହାତଦେବା ବା ବହୁ ଖର୍ଚ୍ଚ କରିବା ଲାଗି ଅଗ୍ରସର ହେବା ମୂର୍ଖାମି ଅର୍ଥରେ ଏଭଳି ଉକ୍ତ ଉଲ୍ଲେଖ କରାଯାଇଛି।
ଟୋକୋ ଟୋକାଳିଆ ବୁଦ୍ଧି,
ଆଗକୁ ପଛକୁ ବିଚାର ନାହିଁ,
ମଥାରେ ନାଉଛି ମୁଦି
ସାଧାରଣତଃ ଟୋକା ବା ଯୁବ ବୟସ କଞ୍ଚା ବୟସ ହୋଇଥାଏ। ଏ ବୟସରେ ପରିପକ୍ବତା ଆସି ନଥିବା ବେଳେ ସଂସାରର ଭଲମନ୍ଦ ଦିଗ ପ୍ରତି ସେମାନଙ୍କ ଅଭିଜ୍ଞତା କମ ରହିଥାଏ। ତେଣୁ ଏ ବୟସରେ ବ୍ୟକ୍ତି ଦ୍ବାରା ନିଆଯାଉଥିବା ବିଚାର ଉପରେ କେବେହେଲେ ଭରସା ପାଇନଥାଏ ବୋଲି ଏଠାରେ କୁହାଯାଇଛି।